କୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ: ବିବାହ ବୟସ ହୋଇନଥିଲେ ବି ଏକାଠି ରହି ପ୍ରେମ କରିପାରିବେ ପୁଅଝିଅ କିନ୍ତୁ ରହିଛି ଏହି ସର୍ତ୍ତ
ବିବାହ ବୟସ ହୋଇନଥିଲେ ବି ପୁଅ ଝିଅ ଏକାଠି ରହି ପାରିବେ। ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି ବୋଲି ଆଜି ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳଙ୍କୁ କେବଳ ପୁଅର ବିବାହ ବୟସ ହୋଇନି ବୋଲି କେହି ଅଲଗା କରିପାରିବେ ନାହିଁ। ପୁରୁଷ ସାଥୀଙ୍କର ବିବାହ ଯୋଗ୍ୟ ବୟସ ହୋଇନାହିଁ ବୋଲି ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ସୂଚନା ଅନୁଯାୟୀ, ଏକ ମାମଲାର ଶୁଣାଣି କରି ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଲ୍କା ସରିନ କହିଛନ୍ତି ଯେ, ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି। ଜଣେ ପ୍ରେମୀଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସକୁ ଜଣାଇଥିଲେ। ଝିଅକୁ ୧୯ ବର୍ଷ ହୋଇଥିବା ବେଳେ ପୁଅକୁ ୨୦ ବର୍ଷ।
କିନ୍ତୁ ଏନେଇ ଯୁବତୀଙ୍କ ପରିବାର ଜାଣିପାରିବାରୁ ସେମାନଙ୍କୁ ବାରମ୍ବାର ଧମକ ମିଳୁଥିବା ମଧ୍ୟ ସେମାନେ କହିଛନ୍ତି। ଏନେଇ ପୋଲିସ ନଶୁଣିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ଏଘଟଣା ଜାଣିବା ପରେ ପୁରୁଷ ସାଥୀର ପିତାମାତା ହାଇକୋର୍ଟରେ ଏକ ମାମଲା ଆଗତ କରି ପୁରୁଷ ସାଥୀର ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ସେମାନଙ୍କୁ ଅଲଗା କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।
Be First to Comment